Unknown

 

 

 

 

 

 

 

 

 

 

ରଜନୀ

କବିଶେଖର ଚିନ୍ତାମଣି ମହାନ୍ତି

 

ତୋ ପରଶେ ସିନା ହସୁଛି ଅବନୀ

ବିଜନତା ସୁଖେ କରୁଛି ରାଜତ୍ୱ

ନୈସର୍ଗିକ ପ୍ରେମେ ହୋଇ ଉନମତ୍ତ । ୧।

 

ରୋହିଣୀ ଅଛନ୍ତି ସ୍ୱକାନ୍ତ ପାଶରେ

ଅନ୍ୟ ତାରା ଛନ୍ତି ନିଦ୍ରା ଅବଶରେ

କ୍ଷଣେ କ୍ଷଣେ କରି ନେତ୍ର ଉନ୍ମୀଳନ

ଦେଖୁଛନ୍ତି କାନ୍ତ ସପତ୍ନୀ-ମିଳନ । ୨ ।

 

ଶବଦାଉଅଛି ଝୀଲ୍ଲିଙ୍କର ଗାନ

ସତେ କି ଅପ୍‌ସରୀ ନୃତ୍ୟର ସେ ଧ୍ୱାନ

ପ୍ରକୃତି ଦେବୀଙ୍କ ଭ୍ରମଣ ଶବଦ

ପରି ଜଣାଯାଏ ମର୍ମ୍ମର ନିନଦ । ୩ ।

 

କେଡ଼େ ମଧୁମୟ ତୋ ପବିତ୍ର କାନ୍ତି

ଦେଖିଲେ ହୃଦୟେ ଆଣେ ଦିବ୍ୟ ଶାନ୍ତି

ଦୂର ହୋଇ ଯାଏ ମାୟିକ ଭାବନା

ପ୍ରସାରିତ ହୁଏ ବିଜ୍ଞାନ କାମନା । ୪ ।

 

ତୋ କୋମଳ କୋଳେ ବସି କେଉଁ ଜନ

ତୋ ଆଗେ ବଖାଣେ ଗୁପତ କଥନ

ତୁହି ଏକା ବୁଝୁ ତା ମରମ ବ୍ୟଥା

ତୋ ବିନୁ ତାହାର ନାହିଁ ଆନ ପନ୍ଥା । ୫ ।

 

କାହିଁ ତୋ ବିଜନେ ଗଣକର ପତି

ଗଣୁଥାଏ ବସି ଉଢ଼ୁପଙ୍କ ଗତି

ନୀରବତାର ଯେ ମୋହନ ପଣିଆ

କେବଳ ଚିହନ୍ତି ଗୁଣିକ ଗୁଣିଆ । ୬ ।

 

ଟେଁ ଟେଁ ୟାଟି କିସ ଗାଇ ଉଡ଼ି ଯାଏ

ସତେବା ବିରହ-ଡଣ୍ତିମ ବଜାଏ

ସୁଦୂର ପ୍ରାନ୍ତରେ ଫେରୁ ଦିଏ ଡାକ

ବେଳେ ବେଳେ ରାବେ ସଙ୍ଗ ଛଡା କାକ । ୭ ।

 

ଜଗତ-ନାଥଙ୍କ ଆଦେଶକୁ ପାଳି

ତୋ ରାଜ୍ୟେ ଉଡୁ ପେ କରନ୍ତି ଯେ ପାଳି

ଏକ ପରେ ଆନ ପୂରୁବେ ଉଠନ୍ତି

ପ୍ରହରୀ-ପଣରେ ଅବା ସେ ସେ ଖଟନ୍ତି । ୮ ।

 

ଜଣାନ୍ତି ଯାଇ ବା ଚିତ୍ରଗୁପ୍ତ ଆଗେ

ସଂସାରୀଙ୍କ ପାପ-ପୁଣ୍ୟ କେତେ ଭୋଗେ

ଶମନ ପାଞ୍ଜିଆ ଲେଖେ ତାଙ୍କ କଥା

ଯାହାର କରିବ ଯେମନ୍ତ ବ୍ୟବସ୍ଥା । ୯ ।

 

କ୍ଷଣଦା ! ତୋହର ରାଜତ୍ୱ ବେଳରେ

ଭୂତଲୋକୁ ପ୍ରେତ ଆସନ୍ତି ମେଳରେ

ଚଣ୍ତୀ ରୁଣ୍ତୀ ଭୂତେ ଭ୍ରମଣ କରନ୍ତି

କେତେ ଦେବଦେବୀ ସ୍ୱରଗୁ ଆସନ୍ତି । ୧୦ ।

 

ବୁଝନ୍ତି ସଂସାର ଭଲ ମନ୍ଦ ପଣ

କେତେ ଦୁଃଖୀଙ୍କର ଫେଡନ୍ତି କଷଣ

ଦିଅନ୍ତି ଦୁଷ୍କୃତ ନାରକୀରେ ଦଣ୍ତ

ଏମନ୍ତେ କରନ୍ତି କେତେ ଲଣ୍ତଭଣ୍ତ । ୧୧ ।

 

ନର ଯାକୁ ମଣେ ବିଶ୍ରାମ ସମୟ

ନୁହେ ସେ ବିଶ୍ରାମ ପୂର୍ଣ୍ଣ କ୍ରୀଡ଼ାମୟ

ଜାଗି ରହିଥାନ୍ତି ଅଷ୍ଟ ଦିଗାପଳ

ଭ୍ରମନ୍ତି ରୁଦ୍ରଙ୍କ କାଳ ଓ ବିକାଳ । ୧୨ ।

 

ରଜନି ! ଯେବେଳେ ନିଶ୍ଚଳ ତୋ ଅଙ୍ଗ

ତଟିନୀରେ ଖେଳେ ସୁଧୀର ତରଙ୍ଗ

ସମୀରଣ ଖେଳେ କରି କେତେ ରଙ୍ଗ

ମୁଗ୍‌ଧ କେ ନୋହିବ ଦେଖି ଏ ପ୍ରସଙ୍ଗ । ୧୩ ।

 

ଘେନି ଚନ୍ଦ୍ରବିମ୍ୱ ଚନ୍ଦ୍ରିକା ଉଜ୍ଜ୍ୱଳ

ଖେଳେ ଜଳ ହୋଇ ବାତେ ଢଳ ଢଳ

କଳକଳ ନାଦ ଶୁଭଇ ଅସ୍ପଷ୍ଟେ

ଜଳ ଦେବୀ ଗାନ ପରାଏ ପ୍ରକଟେ । ୧୪ ।

 

ତୋ ପ୍ରଶାନ୍ତ କୋଳ କେଡ଼େ ଶାନ୍ତିମୟ

କୈବଲ୍ୟ ପରାଏ ଦିଅଇ ଅଭୟ

ଦଗ୍‌ଧୀଭୂତ ପ୍ରାଣେ ସ୍ନିଗ୍‌ଧ ସୁଧା ପରି

ମାନସ ବିହଗ ବାନ୍ଧି ପାରେ ଧରି । ୧୫ ।

 

ଏ ଯେଉଁ ମୋହିନୀ ଭାବ ଅଛୁ ଧରି

ସୁସଂଯତ ସାଧୁ ଗୁଣାବଳି ପରି

ଏ ଭାବ ଦେଖନ୍ତି ତୋ ସେବକଚୟ

ବୃଥାଟାରେ ନର କରେ ସିନା ଭୟ । ୧୬ ।

 

କାକର କଣିକା ଛଳେ ଦେବଗଣ

କରନ୍ତି କି ଅବା ସୁଧା ବରଷଣ

ସୁର ବାରାଙ୍ଗନାଙ୍କର ଗୀତ ବାଦ୍ୟ-

ପରି ଶୁଭେ ଏଣେ ତେଣେ କେତେ ନାଦ । ୧୭ ।

 

ଶୁଣୁଛନ୍ତି ଏହା ବନ-ବଲ୍ଲୀ-ଲତା

କରୁଛନ୍ତି ମୃଦୂ ଅଙ୍ଗର ଆର୍ଦ୍ରତା

ମୁହଁ ତାଙ୍କ ସଙ୍ଗେ ହୋଇ ବାଇ ପରି

ରଜନି ! ତୋ କୃପା ଅଛି ଅନୁସରି । ୧୮ ।

 

ଦେଖୁଛି ସରସୀ ସ୍ୱଚ୍ଛ ଜଳୋପରେ

କୋମଳ ଜଳଜ-ବନିତା ଗହଳେ

ଆଶ୍ରିଛନ୍ତି କେତେ ସାରସ ନିକର

ନଶି ! ତୋର ଭୟେ ହୋଇଣ କାତର । ୧୯ ।

 

ଅମଳ-ବଦନା କମଳ ସଚିନ୍ତେ

ସ୍ୱକାନ୍ତେ ସରାଗ ରଖି ସଦା ଚିତ୍ତେ

ପଲକ ପକାଇ ଧ୍ୟାଉଅଛି ସଦା

କେତେବେଳେ ତୁହି ହୋଇବୁ ବରଦା । ୨୦ ।

 

ଦେଖିଲି ଗୋଟିଏ ଆାଉ ବଡ କଥା

କୁମୁଦିନୀ କୁଳ ଅଛନ୍ତି ପ୍ରମତ୍ତା

ଧାତା ସର୍ଜ୍ଜନାରେ ଏହି କି ନିୟମ

ସୌଭାଗ୍ୟ- ଭଣ୍ତାର ବଣ୍ଟା ନୁହେ ସମ । ୨୧ ।

 

ନିଶିଥିନି । ତୋର ମଧୁର ପରଶେ

କୁସୁମ କଳିକା ବାଳିବାଟି ହସେ

ପ୍ରଭାତେ ଦେଖାଏ ତା ଚାତୁରୀ ଠାଣି

କି କହିବି ତାର ଗାରିମା କାହାଣୀ । ୨୨ ।

 

ବାରବାମା ପରି ନୟନ ଚଳାଇ

ପାଶେ ଆଣେ ଅଳି-ନାଗରେ ଭୁଲାଇ

ପୂର୍ବତପେ ହୁଏ ଦେବ ଅଙ୍ଗଲାଗି

ଭ୍ରଷ୍ଟ ଯୋଗୀ ଯେହ୍ନେ ବଇକୁଣ୍ଠ- ଭାଗୀ । ୨୩ ।

 

ରଜନି ! ତୋ କୋଳେ ବସି କେତେ କବି

ଆଙ୍କିଛନ୍ତି ସାହିତ୍ୟର ଚାରୁ ଛବି

କରିଛନ୍ତି ଯେଉଁ ଉକ୍ତି ସମର୍ପଣ

କରୁଛି ଦୁନିଆ ଆଦର୍ଶ ଗ୍ରହଣ । ୨୪ ।

 

ଭ୍ରମି ଏଣେ ତେଣେ ବସିବାରୁ ଏଥେ

ପୁରୁଣା କଥା ଯେ ମନେ ପଡେ କେତେ

ଶୁଣ ନିଶିଥିନି । କହିବି ତୋ ଆଗେ

ଦୟାକରି ଟିକେ ଶୁଣିବୁ ସରାଗେ । ୨୫ ।

 

ତୋହର ପ୍ରଶାନ୍ତ ମଧୁର ବେଳରେ

ବାଇଥିଲେ ବେଣୁ ଯମୁନା କୂଳରେ

ବ୍ରଜରାଜ ଶ୍ୟାମ କଦମ୍ୱ ମୂଳରେ

କରିଥିଲେ ରାସ ଗୋପୀଙ୍କ ଠୁଳରେ । ୨୬ ।

 

ଦେଖି ତୋର ଏହି ବିମୋହୀନି ଛବି

ଗୋପୀଙ୍କର ଚିତ୍ତ ଯାଇଥିଲା ଦ୍ରବି

ମଧୂର ମୂରତି ମୋହନ ରୂପରେ

ପୀରତି ରଚିଲେ ପୂରୁଦ ତାପରେ । ୨୭ ।

 

ସରାଗେ ସକଳ ଗୋପୀ ବନେ ଧାଇଁ

କୃଷ୍ଣଙ୍କୁ ଖୋଜନ୍ତି ଏଣେ ତେଣେ ଚାହିଁ

ତୋଳନ୍ତି କୁସୁମ ବୁଲି କଣ୍ଟା-ବଣେ

ଚନ୍ଦ୍ରିକାରେ ହାର ରଚନ୍ତି ସୁମନେ । ୨୮ ।

 

ବ୍ରଜ-ଏଣୀ-ନେତ୍ରା ଲଭନ୍ତି କଷଣ

ଦେଖୁଥାନ୍ତି ନଭେ ତୋ ପ୍ରିୟ ରମଣ

ଶୁଭ ଯାଏ ଯେବେ ତୋ ନୂପୁର ସ୍ୱନ

ଚକିତେ ଚାହାନ୍ତି ଚଳାଇ ନୟନ । ୨୯ ।

 

ମୃଦୃହାସୀ ମୃଦୁମୃଦୁରେ ହସନ୍ତି

କେ କାହା ଗଭାରେ କୁସୁମ ଖୋସନ୍ତି

ଗୁଳ-କଣ୍ଟା-ଦାଉ କୋମଳ ଚରଣ

ତୋହ ପାଇଁ ସିନା କରଇ ବରଣ । ୩୦ ।

 

ବଲ୍ଲୀଲତା ତଳେ ଦେଖି ଚନ୍ଦ୍ର ଛାଇ

କୃଷ୍ଣ ଭ୍ରମେ ଗୋପୀ ହୁଉନ୍ତି ଯେ ବାଇ

କରଇ ସଖୀକୁ ସଖୀ ଆଲିଙ୍ଗନ

ନୁହେ କି ରଜନି ! ଏ ତୋ ବିଡମ୍ମନ । ୩୧ ।

 

ମନେ ପଡୁଛି ଗୋ ମୋର ବାର ବାର

ସେ ବେଳର ଯେଉଁ ବିରହ ସମ୍ଭାର

ଦେଖୁଥିଲେ ସବୁ ବୃନ୍ତାସନେ ବସି

ସୁମନ ସୁନ୍ଦରୀ ପ୍ରେମେ ହସି ହସି । ୩୨ ।

 

ପୁଣି ଉପମାକୁ ଆସୁଅଛି ଏତେ

ପଲ୍ଲବୁ ନୀହାର ପଡୁଥାଏ ଯେତେ

କାକର ନୁହେ ତା ଲୋତକର ଧାରା

ଗୋପୀ ପାଇଁ ଢ଼ାଳୁଥାନ୍ତି ବନସାରା । ୩୩ ।

 

ଯଦିବା ଲୋତକ ନ ହେବ କେବଳ

ହେଲେ ହେଉ ତେବେ ସ୍ୱର୍ଗ ଗଙ୍ଗାଜଳ

ବିବୁଧେ ମନାଶି ଗୋପୀଙ୍କ କୁଶଳ

ସଞ୍ଚନ୍ତି ଆଶିଷେ ଧରି ବନଦଳ । ୩୪ ।

 

କି ବର୍ଣ୍ଣିବି ତୋର-ସୁଷମା ମାଧୁରୀ

ଅଶକ୍ତ ହୁଏ ମୋ କବିତା-ଚାତୁରୀ

ଶକ୍ତି ନାହିଁ ମୋର କ୍ଷୁଦ୍ର ନଦୀ ପାରେ

ସନ୍ତରି ଇଚ୍ଛଲି ମହା ପାରାବାରେ । ୩୫ ।

 

ତେବେ ଲେ କ୍ଷଣଦା ! ଅଛି ଯେତେ ବଳ

ଗାଇବି ତୋ ଆଗେ ଶୁଣ ତା ସକଳ

ତୁହି ଅଟୁ ନିଶ୍ଚେ ଭାବ- ପ୍ରସବିନୀ

ମାତା ବୀଣାପାଣିଙ୍କର ସୋହାଗିନୀ । ୩୬ ।

 

ଭବେ କାନ୍ତ ଥିଲେ କାନ୍ତା ଦିଶେ ଶୋଭା

କିନ୍ତୁ ତୋହ ଯୋଗେ ଚନ୍ଦ୍ର ଅଟେ ଲୋଭା

ସ୍ଥାବର ଜଙ୍ଗମେ ଅଛି ବିଶେଷତ୍ୱ

ତୋ ବିନା ଚନ୍ଦ୍ରର ନାହିଁ ତ ମହତ୍ତ୍ୱ । ୩୭ ।

 

ଥାଉ ତାହା, ବିଜ୍ଞାନର କାରବାର

ସେଥିରେ ନାହିଁ ତ ମୋର ଅଧିକାର

ତୋ ମାୟାରେ ମୁଁହିଁ ହୋଇଅଛି ବାଇ

ଯାହା ଦେଖିବି ତା ଯିବି କିଛି ଗାଇ । ୩୮ ।

 

ତୋ ବକ୍ଷରେ ଘଟେ କେତେ ରସରଙ୍ଗ

ଶଶି ଧରିଥାନ୍ତି ଯେବେ ପୂର୍ଣ୍ଣ ଅଙ୍ଗ

ଦେଖାଏ ଜନନୀ ଶିଶୁ ଧରି କୋଳେ

ତୋ କାନ୍ତ ବଦନ କେଡ଼େ ସ୍ନେହ-ଭୋଳେ ।୩୯।

 

ତଟିନୀ ପୁଳିନ ସୌଧ ବାତାୟନେ

କାନ୍ତ ସହ କେତେ ଜଳକ-ନୟନେ

ହସି ଦେଖୁଥିବେ ସୁନିର୍ମ୍ମଳ ଜଳେ

ଲହରୀ ଦେହରେ କେଡ଼େ ଢ଼ଳହଳେ ।୪୦।

 

ଖେଳୁଛନ୍ତି ବିଧୁ ପ୍ରେମରେ ତୋ ସଙ୍ଗେ

ଏ ମାଧୁରୀ ଠାଣି ପୂର୍ଣ୍ଣ ନାନା ରଙ୍ଗେ

ଦେଖୁଛି ଧରଣୀ ଦେଖୁଛି ଗଗନ

ଭାବୁକ ଦେଖିଲେ ହୁଏ ଭାଗୋଦ୍‌ଗମ ।୪୧।

 

ତୋ ରାଜ୍ୟେ ବିଜନ ଗହନୁ କନ୍ଦର

ବୁଲି ନାନା ନଦୀତଟ ସରୋବର-

ବିଲୋକିଲେ ଥରେ ଗୁଞ୍ଜଲତାମାଳା

ମନେ ହୁଏ ଭବ ଚାରୁଚିତ୍ରଶାଳା ।୪୨।

 

ତୋ ମୋହିନୀ ଗୁଣେ ହୋଇ ପ୍ରେମଭର

ପ୍ରେମୀ ଇଚ୍ଛେ ଧରି ରସାଳସା କର

ଭ୍ରମିବ ପ୍ରାନ୍ତର ସରୋବର ତୀର

ଯେ ବେଳେ ଜ୍ୟୋତ୍ସ୍ନାରେ ବହ୍ନେ ବାତ ଧୀର ।୪୩।

 

ବିଭ୍ରମିଲେ ଥରେ ସେ ସୁରମ୍ୟ ସ୍ଥାନ

ବିସରିବେ ରାଜା ପ୍ରମୋଦ ଉଦ୍ୟାନ

ନିର୍ଦ୍ଧନେ ଭୁଲିବେ ଅଭାବ ବେଦନା

ରସିକର ହେବ ସୁରସ କାମନା ।୪୪।

 

ତୋ ମୋହନେ ଦିନେ ହୋଇଥିଲେ ପ୍ରେମା

ବନବାସ ବେଳେ ଜନକର ଜେମା

ତହୁଁ କାନ୍ତା ସଙ୍ଗେ ଜାନକୀ-ରମଣ

କଲେ କୌମୁଦୀରେ କାନନ ଭ୍ରମଣ ।୪୫।

 

କେତେ ଇନ୍ଦିବର କୁମୁଦିନୀ ସର

ଦେଖାଇଲେ ଧରତ ଜାମ୍ବୁନଦ କର

‘‘ଦେଖ ଦେଖ ପ୍ରିୟା । ଗୂଢ଼ତ୍ୱ ପ୍ରେମର

କମଳ କୋଳରେ ବନ୍ଧନ ଭ୍ରମର’’ ।୪୬।

 

କାହିଁବା ଶୀତଳ ଚନ୍ଦ୍ରିକାରେ ରହି

ବିହରେ ବରହ ସଙ୍ଗରେ ବରହୀ

‘‘ଦେଖ ଦେଖ ସଖି’’ ବୋଲିଣ ଦେଖାନ୍ତି

ମୃଦୁ ହାସେ ସୀତା ଲୋଚନ ଫେରାନ୍ତି ।୪୭।

 

କାହିଁ ଚନ୍ଦ୍ରଛାଇ ତଳେ ସୁଖେ ବସି

ଆଉକାଳ କୋଳେ ପୁଛନ୍ତି ଆକର୍ଷି

‘‘ଏଥୁ ବଳି ସୁଖ କୁହ ସଖି ଥରେ

ମିଳି ଥାଆନ୍ତା କି ଅବାଧେ ନବରେ’’।୪୮।

 

‘‘ସତୀ ତୁମ୍ଭେ ସତ ମୋ ସହଧର୍ମିଣୀ

ମନ ଜାଣି ହେଲ କାନ୍ତାନୁଗାମିନୀ

ତୁମ୍ଭ ବିନା ଏହି ଶୈଳ-ବନ-ମାଳା

ମଣୁଥାନ୍ତି ମୁହିଁ ଦୁଃଖ ବନ୍ଦିଶାଳା ।୪୯।

 

ଜଗତ-ଜନନୀ କାନ୍ତ ସଙ୍ଗତରେ

ବସିଥିଲାବେଳେ ଗୁଞ୍ଜ-ଲତା ତଳେ

ବନଦେବୀ ଦେଉଥିଲେ ଉପହାର

ଚାରୁ ପାଦପଦ୍ମେ କୁସୁମ ବେଭାର ।୫୦।

 

ହଉ ତେବେ ନିଶି ! ଶୁଣ ଅନ୍ୟ କଥା

ବଢ଼ୁଅଛି କ୍ରମେ ତୋଠାରେ ମମତା

ନ ହେଉଛି ମନ ନେବାକୁ ବିଦାୟ

ହୋଇଥାଅ ଦେବି ! ଅଧମେ ସହାୟ ।୫୧।

 

ଦେଖୁଛି ତୋ ମଧୁ ମଦରେ ମଦୁଆ

ହୋଇଣ ବରାଟୀ ସଙ୍ଗେ ପାଣିକୁଆ

ଖେଳନ୍ତି ଜଳରେ ଉବୁଆ ଟୁବୁଆ

ପ୍ରେମରେ ବି ଜାତି ବାନ୍ଧନ୍ତି ବନ୍ଧୁଆ ।୫୨।

 

ସେହି ପରି ମୁହିଁ ଗପୁଅଛି ଯାହା

ଜଗତେ କହିବେ ମୋତେ ଭଲ ବାୟା

କହନ୍ତୁ ଯେ ଯାହା ସହିବି ମୁଁ ତାହା

ଆହୁରି କହିବି ବଳୁଛି ଉତ୍ସାହା ।୫୩।

 

ଅଛି ପୁଣି ତୋର ଗୁଣ ବିଭୀଷିକା

ସେ ବେଳେ ଦୁର୍ଜ୍ଜୟ କାଳ ପ୍ରବେଶିକା

ଭାବିଲେ ସେ କଥା ଜାତ ହୁଏ ଭୟ

କମ୍ପାଏ ହୃଦୟ କରିଣ ଅଥୟ ।୫୪।

 

ଯେ ଦିନ ତୋ ତମ ବକ୍ଷରେ ପହଁରି

ଆସିଲେ ଶମନ ସ୍ୱର୍ଗୁ ଅବତରି

ସତୀ କୋଳୁ ନେଲେ ସତ୍ୟବାନ ପ୍ରାଣ

ନିଜେ ଧର୍ମରାଜ କରିଲେ ପ୍ରୟାଣ ।୫୫।

 

ନିଷ୍ଠୁର ଶମନ ନୁହଇ କାହାରି

ନ ଶୁଣେ ନ ବୁଝେ ଥରକ ଗୁହାରୀ

ଏହା ଜାଣି ମଧ୍ୟ ସତୀ ସୀମନ୍ତିନୀ

ହୋଇଲେ ସମନ ପଶ୍ଚାତଗାମିନୀ ।୫୬।

 

କିଛି ଦୂର ଯାଇ ଆଦିତ୍ୟ-ତନୟ

ସତୀ ପ୍ରଭା ଚିହ୍ନି ବିହିଲେ ଅଭୟ

ତୋର ସେହି ରୂପ ଯଦି ପଡ଼େ ମନେ

କା ହୃଦ ଅଥୟ ନୋହିବ କମ୍ପନେ ।୫୭।

 

ତୋ ଯୋଗେ ନିଶି ଲୋ ! ହୁଏ କେତେ କାମ

କେ ବର୍ଣ୍ଣିବ ତାର ଗୋଟି ଗୋଟି ନାମ

ଅଳପେ ଅଳପେ ମନେପଡ଼େ ଯାହା

କହୁଅଛି ଧୀର ଚିତ୍ତେ ଶୁଣ ତାହା ।୫୮।

 

ଶୁଣିଛି ପାଣ୍ଡବ ଯାହାଙ୍କ ଶ୍ରୀପଦ

ଆଶ୍ରି ଲଙ୍ଘିଥିଲେ ଦୁସ୍ତର ବିପଦ

ଭୋଗିଥିଲେ ରାଜ୍ୟ କମଳା ସଂପଦ

ଅନ୍ତିମେ ପାଇଲେ ଯାଇ ବିଷ୍ଣୁ ପଦ ।୫୯।

 

ସେ ହରି ସହାୟେ ବୀର ଧନଞ୍ଜୟ

ସାଦରେ ଗମିଲେ ତେଜି ଶତୃ ଭୟ

ପୂର୍ବ ପ୍ରାପ୍ୟ ବର ମାଗିଲେ ଆଦରେ

ହସ୍ତିନାଧିପତି ମାନଗୋବିନ୍ଦରେ ।୬୦।

 

ଚିତ୍ରସେନ କଥା ଚେତିଣ ନୃପତି

ପୁଛିଲେ ‘‘କି ଦରେ ବଳାଇଛ ମତି’’ ?

ମାଗନ୍ତେ କିରୀଟୀ ରାଜାଙ୍କ ମୁକୁଟ

ଦେଲେ ଦୁର୍ଯ୍ୟୋଧନ ନ ଚେତିଣ କୂଟ ।୬୧।

 

ମାୟାକୁରୁପତି ବେଶେ ପାର୍ଥବୀର

ପ୍ରବେଶିଲେ ଯାଇ ଗାଙ୍ଗେୟ ଶିବିର

ଆଣିଲେ ପାଣ୍ଡବ ମାରଣ-ମାର୍ଗଣ

ପଣ୍ଡ କରି ଦେଲେ ଭୀଷ୍ମଙ୍କର ପଣ ।୬୨।

 

ଏତେ କର୍ମ ସିନା ତୋ ଯୋଗେ ରଜନି !

କହି ହରି ଭାରା ହରିଲେ ଅବନୀ

ଆଉ ଏକ କଥା ଶୁଣ ଗୋ ସୋହାଗେ !

ମନେ ପଡ଼ିଗଲା ବଖାଣୁଛି ଆଗେ ।୬୩।

 

ତୋ ଯୋଗେ ହୋଇଛି କେଡ଼େ କେଡ଼େ କର୍ମ

ଅସାଧ୍ୟମାନ ଯେ ହୋଇଛି ସାଧନ

ନୁହନ୍ତା ସେ କଥା କଦାପି ବାସରେ

କହୁଛି ସେଇଥିପାଇଁ ସରାଗରେ ।୬୪।

 

ଯେଉଁ ଯୋଷା ପାଇଁ ଆସି ଲକ୍ଷେ ରାଜା

ଲକ୍ଷ୍ୟ ନ ଭେଦିଣ ପାଇଥିଲେ ଲଜ୍ଜା

ଅନାୟାସେ ବାଳଖେଳଘର ପରି

ତ୍ରିଭୁବନଜୟୀ ଯେ ବୀର କେଶରୀ ।୬୫।

 

ଦେଖାଇ ଧନୁର ଚାଳନ-କୌଶଳ

ହଟାଇ ହିଂସୁକ ନୃପ ଦଳ ବଳ

ଭଦ୍ର ଅରଜୁନ ଉଡ଼ାଇ କେତନ

ଆଣିଥିଲେ ସେହି ରମଣୀ ରତନ ।୬୬।

 

ସେ ଦ୍ରୁପଦଜେମା ମଧୁରବଚନା

ସର୍ବସୁଲକ୍ଷଣା ଚପଳଲୋଚନା

ଅଜ୍ଞାତବାସରେ ବିରାଟ ଦେଶରେ

ଥିଲେ ରାଣୀଙ୍କର ଶ୍ରୀଅଙ୍ଗ ବେଶରେ ।୬୭।

 

ଯା କୋମଳ ଅଙ୍ଗେ କୁସୁମ କମାଣ

ଡରି ନ ଆସଇ କରଇ ପ୍ରୟାଣ

ରମଣୀ ଦୃଷ୍ଟିରେ ରମଣୀୟେ ଲୋଭା

ଯୁବକ ଲୋଚନେ ଅକଳିତ ଶୋଭା ।୬୮।

 

ଦେଖନ୍ତି ରସିକେ ଯେଉଁ ଭାବମାନ

ଯୁବତୀ ଅଙ୍ଗରୁ ହୋଇ ଭ୍ରମମାନ

ଦେଖିଲା କୀଚକ ପ୍ରମଦା ଗହଳେ

ଶୈଳିନ୍ଧ୍ରୀଙ୍କ ବେଶୁଁ ଚାନ୍ଦିନୀର ତଳେ ।୬୯।

 

ଦେଖିଲା ବେଳରୁ ହେଲା ଭ୍ରମ ମନ

କରିଲା ମରଣ ବୁଦ୍ଧି ନିମନ୍ତ୍ରଣ

କୀରକ ନିଧନ ତୋ ଯୋଗେ ଯାମିନି !

ଜାଣି ନ ପାରିଲା ପୁରୁଷ-କାମିନୀ ।୭୦।

 

ଆଉ ଏକ କଥା କହିବି ତୋ ଆଗେ

ରହଲୋ ରଜନି ! ଶୁଣିବୁ ସରାଗେ

ଶରଧା ଲାଗୁଛି ଦେଖି ତୋ ନୀରୋଳ

ଯେଣୁ ତୁଟାଇଛୁ ଜଙ୍ଗମାଦି ଗୋଳ ।୭୧।

 

ବାଜିଯିବ ଘଣ୍ଟା ଦିଅଁ ଦେଉଳରେ

ପଳାଇ ଯିବୁ ତୁ କାଳ କବଳରେ

ମୋ କଥାକୁ ଆଉ କିଏସେ ଶୁଣିବ

ମହ କୋଳହଳ ମାଡ଼ିଣ ଆସିବ ।୭୨।

 

ତରୁଣ ଅରୁଣ ପ୍ରାଚୀ ନଭେ ଦୂରୁ-

ନ ପ୍ରବେଶୁ ରଥ ସାଜିବ ଅନୂରୁ

ନିମିଷେ ବିଳସୁ ସେ ଧ୍ୱଜା ଅଞ୍ଚଳ

ବିଦାୟ ଲାଗି ତୁ ହୋଇବୁ ଚଞ୍ଚଳ ।୭୩।

 

ଦିବସ-ନୃପତି ଆଗମନ ଜାଣି

ପୁଣ୍ୟମୟୀ-ଉଷା ଡଗରାଙ୍କୁ ଆଣି

ଚୌଦିଗେ ପେଶିବ ବାରତା ସତ୍ୱର

‘‘ଜାଗରେ ଜାଗରେ ଜଙ୍ଗମ ସ୍ଥାବର’’ ।୭୪।

 

ଥିଲା ଯେ ସୁନ୍ଦରୀ ବାଣା ସୁତା ଉଷା

ଅକଳିତ ସେହି ଲଳିତାଙ୍ଗୀଭୂଷା

ସୁନ୍ଦର ମାଧୁରୀ ଯଉବନ ଠାଣୀ

ଭାଙ୍ଗୁଥିଲା ଯୁବା ଧୈର୍ଯ୍ୟବଳ ଆଣି ।୭୫।

 

ପିଇବାକୁ ବାଳା ତନୁରୁ କିଶୋର

ଯା ଇଚ୍ଛାଇ ସଦା ନୟନ-ଚକୋର

ତାହା ଭରା ଥିଲା ବାଳୀ ପ୍ରତି ଅଙ୍ଗେ

ନାହିଁ ଉପମେୟ ଜଗତେ ତା ସଙ୍ଗେ ।୭୬।

 

ହେଲେ ହେବ ସରି ନଗର-ନାଗରୀ

ରମ୍ଭା ଉରବଶୀ ମେନକା-ସୁନ୍ଦରୀ

ନର-ନାରୀ ଅବା କେତେକ ମାତର

ଯାକୁ ଦେଖି ମାର ଓଲଟାଏ ଶର ।୭୭।

 

ଉଷାସ୍ନାନ-ଘାଟ ବେଶ-ମଣ୍ଡପରେ

ଶୋଭା ନୀରେଖନ୍ତୀ ଦେବତା ନିକରେ

ନରଭାଗ୍ୟେ ତାହା ନ ପଡ଼ଇ କେବେ

ମୋହ ହେବେ ପୁଂସେ ଦେଖିଦେବେ ଯେବେ ।୭୮।

 

କି କହିବି ନିଶି ! ଅପୂର୍ବ କାହାଣୀ

ଯଉବନ ମଦେ ମତ୍ତାସେ ସିହାଣୀ

ରହିଥାଏ ସଦା ଅଗମ୍ୟ ଭବନେ

ଇଛୁଥାଏ କାନ୍ତ ସଙ୍ଗସୁଖ ମନେ ।୭୯।

 

କ୍ଷମ କେହି ନାହିଁ ଏ ତିନି ଭୁବନେ

ପ୍ରବେଶିବ ଉଷା ଯଉବନ ବନେ

ପାନ କରି ଥରେ ସେ କୁସୁମ ମଦ

ବାହୁଡ଼ି ଆସିବ ହୋଇଣ ଅବଧ ।୮୦।

 

ତୋ ଯୋଗେ ନିଶିଲୋ ! ଅସାଧ୍ୟ ସାଧନ

ହୁଅଈ ଯେ କେତେ କାମନା ପୁରଣ

ମାୟାରେ ପରଶୁ ଚିର ଦୀନେ ଧନ

ପୁରାଉ ବିରହୀ ବିରିହିଣୀ ମନ ।୮୧।

 

ତୋ କୋମଳ କୋଳେ ବିରହେ ସୁନ୍ଦରୀ

ଶୋଇଥିଲା କିଛିକ୍ଷଣ କ୍ଷୀଣୋଦରୀ

ସ୍ୱଭାବ ସୁଲରେ କାନ୍ତ ସଙ୍ଗ ଲାଭ

ନବୀନା ଉଷାର ଥିଲା ଅବା ଭାବ ।୮୨।

 

ଦେଖିଲା ସ୍ୱପନେ ଅପୂର୍ବ ସୁନ୍ଦର

କମନୀୟ କାନ୍ତି ଜିଣା ପୁରନ୍ଦର

ନାରୀମତିହରା ରସିକଶେଖର

ଉଷା ବିହରୁଛି ତାହାର ସଙ୍ଗର ।୮୩।

 

ପ୍ରୀତି କଳାଜଣା-କାମଦର୍ପ ଜିଣା

ଅଟେ ଯେହୁ ରତି-ଶାସ୍ତ୍ରରେ ପ୍ରବୀଣା

ପାଇଲେ ମନକୁ ମନୋନୀତ ପତି

ନ ଢାଳି ପୀରତି ରଖିବ କେ ସତୀ ?।୮୪।

 

ସ୍ୱପ୍ନ ସିନା ମାୟା ସୁଖର ସଂପଦ

ଜାଗରଣ ତାର ଅଟଇ କଂପଦ

ଜାଗ୍ରତ ଚତୁରୀ ଚାହିଁ ଚମକିଲା

ପାଶେ କାନ୍ତ ନାହିଁ ନିରେଖି ଦେଖିଲା ।୮୫।

 

ବିକଳେ କାନ୍ଦିଲା ହୋଇଣ କାତର

ପଲଙ୍କୁ ଓହ୍ଲାଇ ଖୋଜିଲା ସତ୍ୱର

କାହିଁ ଗଲ ଆହେ ହୃଦୟର ଚୋର

କାମାନଳେ ପେଶି ଜୀବନକୁ ମୋର ।୮୬।

 

ଜେମାକୁ ଦେଖିଣ ଅଧିରେ ବିବଶା

ଚଉକତି ଘେରି ସଖିଏ ସହସା

କହିଲେ ନ ହୁଅ ଆଉ ଲୋକହସା

ତୋହ ଯୋଗୁ ଆମ୍ଭେ ଲଭିବୁ ଦୁର୍ଦ୍ଦଶା ।୮୭।

 

ଚିତ୍ରପଟେ ଦେଖି ତୋ ମାଧୁରୀ କଳା

ତୋ ପାଇଁ ଝୁରନ୍ତି କେତେ ରାଜବଳା

କେହି ନାହିଁ କାରେ ହୋଇଲୁ ତୁ ରତା

ମଣିଲୁ ବି ସତ ସପନର କଥା ? ।୮୮।

 

କରୁ ଜଳ ଜଳ ନୟନ ଯୁଗଳ

କୋକନଦା ଧରେ ନାହିଁତ ବିମଳ

ପାରିଜାତ ପରି ବେର ପରିମଳା

ଦିଶୁଛି ଯେପରି ଷଟପଦଦଳା ।୮୯।

 

ଥର ଥର କିମ୍ପା ଥରୁଛି ତୋ ଅଙ୍ଗ

ହେଲାପରି ସତେ କାନ୍ତ ରତି ରଙ୍ଗ

ଲାଗୁଅଛି ଡ଼ର ଦେଖିଣ ଏକଥା

ଧରୁଛୁ ଚରଣ ତୁଟା ମନ ବ୍ୟଥା ।୯୦।

 

ଇଚ୍ଛା କରୁ ଯେବେ ଲଭିବାକୁ ବର

ତେବେ ରାଜା କାଲି କରି ସ୍ୱୟମ୍ବର

ଲଭାଇ ଦେବେ ତୋ ମନୋନୀତ ପତି

ନହୁଅ ଲୋ ଧନି ! ବ୍ୟାକୁଳିତା ଅତି ।୯୧।

 

ତୋହ ପାଇଁ ଯାଇ କାଲି ପ୍ରଭାତରେ

ଜଣାଇବୁ ଆମ୍ଭେ ଛାମୁଙ୍କ ଆଗରେ

ନିମନ୍ତ୍ରିବେ ବାଛି ନରେନ୍ଦ୍ର ଶେଖର

ଇଚ୍ଛି ନେବୁ ସଖି ! ରୁଚି ମତ ବର ।୯୨।

 

ବୁଝାଇଲେ ଯେତେ କରିଣ ଯତନ

ନ ଘେନିଲା ଘେନା ରମଣୀରତନ

କହିଲା ‘‘ନ ଦେଲେ ମୋର ପ୍ରାଣ ଧନ

ଏକ୍ଷଣି ସଜନୀ ତେଜିବି ଜୀବନ’’ ।୯୩।

 

ବିଚିତ୍ରା ମଣିଲେ ବିଚିତ୍ରାର ଗତି

ଦାସୀଙ୍କ ବିବେକେ କେତେବା ଶକତି

ପ୍ରମଦାଏ ଥିଲା ସଦା ସହକାରୀ

ଜେମା ଅଙ୍ଗ ଜଗା ଖଟଣି ତାହାରି ।୯୪।

 

ନାଗରୀ କଳାରେ ନିପୁଣା କୁଶଳା

ସେ ଯେ ମନ୍ତ୍ରୀ-ସୁତା ସୁଧନ୍ୟା ଅବଳା

ଜାଣିଲା ଏ ଜେମା ଦେଖିଛି ସ୍ୱପନ

ତ୍ରିପୁର ମୋହନ ପୁରୁଷ ରତନ । ୯୫।

 

ପ୍ରବୋଧି କହିଲା ଥୟ କର ମତି

ଆଣି ଦେବି ତୋର ସ୍ୱପ୍ନରୂପ ପତି

ନ ପ୍ରକାଶି ଦୁଃଖୀ ହେଉ ମନେ ମନେ

ଦେଖା ଏବେ ହାସ ସରୋଜ ବଦନେ ।୯୬।

 

ଉଚ୍ଚାଟ ମୋହନ ପ୍ରେମ ବଶୀଭୂତ

ଚିତ୍ରକଳା ବିଦ୍ୟା ଜାଣେ ସେ ବହୁତ

କହିଲା ଲେଖିବି ଧନି ତୋ ଆଗର

ତ୍ରିଲୋକେ ଅଛନ୍ତି ଯେତେକ ନାଗର ।୯୭।

 

ଚତୁରୀ ଧରିଲା ଚିତ୍ରକ ଲେଖନ

ଆଙ୍କିଲା ତ୍ରିପୁର ପୁରୁଷ ରତନ

ବୋଇଲା ‘‘ଚିହ୍ନାଅ ସ୍ୱପ୍ନ ରୂପ ପତି

ଉଷା ! କେ ହରିଛି ତୋ କୋମଳ ମତି’’ ।୯୮।

 

ସ୍ୱର୍ଗ ନାଗ ଚିତ୍ରେ ନ ବଦିଲା ମନ

ନ ରୁଚିଲା କୃଷ୍ଣ ମାଧୁରୀ ବଦନ

ମର୍ତ୍ତ୍ୟପୁରେ ଥିଲେ ଯେତକ ରାଜନ

ତାଙ୍କ ରୂପ ଦେଖି ନୁଆଏ ବଦନ ।୯୯।

 

ଦେଖି ଅନିରୁଦ୍ଧ ପ୍ରଦ୍ୟୁମ୍ନ କୁମର

ଚକିତେ ଚିହ୍ନାଏ ଏହି ସେ ନାଗର

ଆଣି ଦିଅ ମୋତେ ଏହାକୁ ନିକର

ମାଗେ ଅନୁରାଗେ ଧରି ସଖୀ କର ।୧୦୦।

 

ସଜନୀ କହିଲା ଏତେ ବିପରୀତ

ଅସାଧ୍ୟ କଥାରେ ବଳାଇଛୁ ଚିତ୍ତ

ଏ ମାଧବ ପୂରେ ଯାଦବ ବଂଶଜ

ଏହାକୁ ଆଣିବା ନୁହେ ତ ସହଜ ।୧୦୧।

 

ଯେ ପୁର ମଣ୍ଡଇ ଦେବାଙ୍ଗନାରକ

ତ୍ରିପୁର-ବିଜୟୀ ଯେ ବୀର ବରଜ

କମଳା ସହିତ ଅଷ୍ଟ ପାଟ ବଂଶୀ

ଘେନି ବିଳସନ୍ତି କେତେ ମଦାଳସୀ ।୧୦୨।

 

ନିଜେ ବାଣୀ ଯହିଁ ଧରିଥାନ୍ତି ବୀଣା

ହୋଇ ସେହି ପୁର ପ୍ରଭୁଙ୍କର କିଣା

ସେ ଠାବରେ ସମ ରଜନୀ ଦିବସ

ସଦା ଲାଗିଅଛି ଲାସ୍ୟ ହାସ୍ୟ ରସ ।୧୦୩।

 

ଦୁର୍ଜ୍ଜୟ ପ୍ରହରୀ ନିକର ଅଛନ୍ତି

ଗଡ଼ ଚଉକତି ଦୃଢ଼େ ଜଗିଛନ୍ତି

ସେ ପୁରେ ପ୍ରବେଶ ନାହିଁ କାର ସାଧ୍ୟ

ତେବେ ତୋହ ପାଇଁ ହେବି ମୁହିଁ ବାଧ୍ୟ ।୧୦୪।

 

ଧରି ଜାଣେ ମୁହିଁ ମାୟାବିନୀ ବେଶ

ତୋ ସ୍ନେହେ ସେଠାରେ କରିବି ପ୍ରବେଶ

ଏହି ରଜନୀରେ ଆଣିବି ଅବଶ୍ୟ

ଭୋଗ କରାଇବି କାନ୍ତ-ପ୍ରେମ-ରସ ।୧୦୫।

 

ଆଜ ମୁଁ ନ ଥିଲେ କରିଥାନ୍ତୁ କିସ

ଜଣାଯାଏ ଖାଇ ଦେଇଥାନ୍ତୁ ବିଷ

ପରିହର ଚିନ୍ତା ଯିବି ଏହିକ୍ଷଣି

ଆଣି ଦେବି କୋଳେ ତୋର ପ୍ରେମମଣି ।୧୦୬।

 

ଚାହୁଁ ଚାହୁଁ ଉଡ଼ିଗଲା ସେ ପଲକେ

ଯହିଁ ଥିଲା ବୀର ଶୟନେ ପଲଙ୍କେ

ନିଦ୍ରାରେ ଚୋରାଇ ଆଣିଲା ନାଗର

ଭେଟାଇଲା ନେଇ ନାଗରୀ ଆଗର ।୧୦୭।

 

ମିଳିଲା ଯୁବକ ବାଳା ଯୌବନକୁ

ରଖିଲା ତିଆରି କେଳି ସଦନକୁ

ସେ କାଳରେ ଯେତେ ଉଷାର ଉଷତ

ଉପମାନକୁ କବି କଳ୍ପନା ନିଶତ ।୧୦୮।

 

ମନ ଖୋଲି ଥରେ କହିଲୋ ରଜନି ।

ତୋହ ଯୋଗେ କିନା ଉଷାର ସଜନୀ

କରିଲା ଏ ଯେଉଁ ଅସାଧ୍ୟ ସାଧନ

ଆନନ୍ଦେ ଲଭିଲା ବାଣା-ସୂତା ଧନ ।୧୦୯।

 

ସରି ନାହିଁ ମୋର ମାନସ କଳ୍ପନା

ଆଉ କରିଥାନ୍ତି ତୋ ଆଗେ ଜଳ୍ପନା

ଉଷା କାବ୍ୟେ ଉଷା ଆସି ଗଲା ପରି

ଜଣାଇ ଦେଲାଣି ସରୋଜ ସୁନ୍ଦରୀ ।୧୧୦।

 

ଯିବା ପାଇଁ ନିଶି ହେଲୁ ଟାଉ ଟାଉ

ମୋର କଥା ଏବେ ମୋର ମନେ ଥାଉ

ଦେଖା ହେବୁ ଯେବେ ଆଉ ଥରେ କେବେ

ବାଣୀ ଦୟା କଲେ ବଖାଣିବି ତେବେ ।୧୧୧।

 

ଆଶ୍ରିଲେଣି ବିଧୁ ପ୍ରତିଚୀ ନବର

ହସିଲେଣି ବୃନ୍ତେ ସୁମନ ନିକର

ସିମନ୍ତିନୀ ଶିର ଅଳକାର ପରା

ପ୍ରାଚୀ ଚୂଳେ ଶୋଭେ ପାହାନ୍ତିଆ ତରା ।୧୧୨।

 

ପରାଚୀ ଉଆସ ପ୍ରଥମ ତୋରଣ

କଲାଣି ପ୍ରକୃତି ବିଚିତ୍ର ବରଣ

ହୋଇଲାଣି ଧରା କାକରେ ଶୀତଳ

ହରି ପ୍ରେମେ ଯେହ୍ନେ ଭକତ ନିର୍ମଳ ।୧୧୩।

 

ସ୍ୱର୍ଗ ଗଙ୍ଗା ତୀରେ ଅମରୀ ଗହଣ

ସ୍ନାନ କରି ପିନ୍ଧି ରଙ୍ଗ ଆବରଣ

ନନ୍ଦନ କାନନେ ତୋଳିଲେଣି ଫୁଲ

ସେ ବାସ ପ୍ରସରେ ଦିଗ ପ୍ରତିକୂଳ ।୧୧୪।

 

ଅଦୃଶ୍ୟ ହେଲେଣି କ୍ରମେ ସବୁ ତରା

ବାଜି ଉଠିଲାଣି ପ୍ରତ୍ୟୁଷ ନାଗରା

ପଲ୍ଲବ ଲତିକା ଘଞ୍ଛୁ ଗୁଳ୍ମ ବନ

ଦେଖାଇ ଦେଲେଣି କୋମଳ ଲପନ ।୧୧୫।

 

ଯାଅ ଲୋ ରଜନି ! କରି ଯାଅ ଦୟା

ମାୟା ତୁଟାଇବେ ଯେପରି ଅଭୟା

ବିଭୁ ପାଦପଦ୍ମେ ଖଟାଇବେ ମନ

ଏତିକି କରୁଣା ମାଗେ ଅକିଞ୍ଚନ ।୧୧୬।